ବାତ୍ୟା ମୁକାବିଲା : ଆଉ ଏକ କୌଶଳ ଆପଣାଇବାକୁ ଯାଉଛି ଓଡ଼ିଶା

Sep 20, 2023 - 05:28
 2
ବାତ୍ୟା ମୁକାବିଲା : ଆଉ ଏକ କୌଶଳ ଆପଣାଇବାକୁ ଯାଉଛି ଓଡ଼ିଶା

ଭୁବନେଶ୍ବର: ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲାରେ ସାମର୍ଥ୍ୟ ହାସଲ କରିଥିବା ଓଡ଼ିଶା, ବାତ୍ୟା ମୁକାବିଲା ପାଇଁ ଆଉ ଏକ କୌଶଳ ଆପଣାଇବାକୁ ଯାଉଛି । ଉପକୂଳ ଅଞ୍ଚଳରେ ବାତ୍ୟାର ପ୍ରକୋପ ରୋକିବାକୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଡିଜାଷ୍ଟର ରେଜିଲିଆଣ୍ଟ ସାଲାଇନ୍ ଏମ୍ବାକମେଣ୍ଟ ପ୍ରୋଜେକ୍ଟ । ଏଥିରେ ବ୍ୟାପକ ଭାବେ ଲୁଣାବନ୍ଧ ନିର୍ମାଣ କରାଯିବ। ଯାହା ସମୁଦ୍ର ଜୁଆରକୁ ପ୍ରତିରୋଧ କରିବା ସହ ବାତ୍ୟା ପରବର୍ତ୍ତୀ ବନ୍ୟା ଦାଉରୁ ଗାଁଗୁଡ଼ିକୁ ରକ୍ଷା କରିବ ।

ନିର୍ମାଣ ହେବ ବହୁ ଲୁଣାବନ୍ଧ । ଆସନ୍ତା ନଭେମ୍ବର ମାସରୁ ଆରମ୍ଭ ହେବ କାମ । ପୁରୁଣା ଲୁଣାବନ୍ଧକୁ ସୁଦୃଢ଼ କରାଯିବ । ଏହାର ଟେଣ୍ଡର ସରିଛି । ବର୍ଷାଋତୁ ପରେ ନଭେମ୍ବର ମାସରୁ ଲୁଣାବନ୍ଧ ନିର୍ମାଣ ଆରମ୍ଭ ହେବ । ୨୦୦ କିଲୋମିଟର ଲୁଣାବନ୍ଧକୁ ସୁଦୃଢ଼ କରାଯିବ । ସମୁଦ୍ର କୂଳରୁ ୧୦ରୁ ୧୨ କିଲୋମିଟର ମଧ୍ୟରେ ନିର୍ମାଣ କରାଯିବ ଲୁଣାବନ୍ଧ । ଏଥିପାଇଁ ଜଳସମ୍ପଦ ବିଭାଗ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିବ । ମୁଖ୍ୟମନ୍ତ୍ରୀ ଡିଜାଷ୍ଟର ରେଜିଲିଆଣ୍ଟ ସାଲାଇନ୍ ଏମ୍ବାକମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଲୁଣାବନ୍ଧ ନିର୍ମାଣ ଓ ସୁଦୃଢ଼ୀକରଣ ପାଇଁ ୩୬ଟି କ୍ଷେତ୍ରରେ କାମ ହେବ । ଏହି ଯୋଜନା ସାରିବାକୁ ପାଞ୍ଚ ବର୍ଷ ସମୟ ଧାର୍ୟ୍ୟ କରାଯାଇଛି । ତେବେ ଧାର୍ୟ୍ୟ ସମୟ ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖିଛି ଜଳସମ୍ପଦ ବିଭାଗ । ଲୁଣାବନ୍ଧ ଦ୍ବାରା ବାତ୍ୟା ପ୍ରତିରୋଧ ସହ ଗାଁକୁ ସମୁଦ୍ର ଜୁଆର ପ୍ରବେଶ କରିପାରିବ ନାହିଁ ।

୧୯୯୯ ମହାବାତ୍ୟା ସମୟରେ ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା ପାଇଁ ସେତେଟା ବ୍ୟବସ୍ଥା ନଥିଲା । ହେଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା ପାଇଁ ବିଭିନ୍ନ କୌଶଳ ପ୍ରସ୍ତୁତ କରୁଛନ୍ତି ।