ଲିଙ୍ଗରାଜ ମନ୍ଦିର ଅଭିମୁଖେ ବାହୁଡ଼ିଲେ ଦେବ ଦମ୍ପତି
ଭୁବନେଶ୍ୱର : ମାତା ପାର୍ବତୀଙ୍କ ହାତ ଧରିଲେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ । ବିଳମ୍ବିତ ରାତିରେ ମହାଦେବ ବର ବେଶରେ ସଜ୍ଜିତ ହୋଇ ରୋଷଣୀ ସହ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ମାତା ପାର୍ବତୀଙ୍କ ଘରକୁ ଯାଇଥିଲେ । ସମସ୍ତ ନୀତିକାନ୍ତି ଅନୁଯାୟୀ ଦେବ ବିବାହ ସମ୍ପନ୍ନ ହୋଇଛି । ତେବେ ଏହି ଦେବ ବିବାହ ପାଇଁ ଦୁଲୁକୁଛି ପୁରୁଣା ଭୁବନଶ୍ୱର । ସରିଲା ଦେବ ଦମ୍ପତିଙ୍କ ବିବାହ । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅନ୍ୟତମ ମହାପର୍ବ ତଥା ଶୀତଳଷଷ୍ଠୀ ଯାତ୍ରା ଗତକାଲି ମହାସମାରୋହରେ ଶେଷ ହୋଇଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ କେଦାରଗୌରୀ ମନ୍ଦିରରେ ହାତଗଣ୍ଠି ବିଧି ସଂପନ୍ନ ହେବା ପରେ ଆଜି ସକାଳୁ ଅନ୍ୟାନ୍ୟ ରୀତିନୀତି ସମାହିତ ହୋଇଥିଲା। ରାଜଦାଣ୍ଡରେ ଲଉଡ଼ି ଖେଳ ଲୋକଙ୍କୁ ବିମୋହିତ କରିଥିବା ବେଳେ ମନ୍ଦିର ଭିତରେ ଦେବଦମ୍ପତିଙ୍କ କଉଡ଼ି ଖେଳ ଶ୍ରଦ୍ଧାଳୁମାନଙ୍କୁ ଆତ୍ମହରା କରିଦେଇଥିଲା। ଶୋଭାଯାତ୍ରାରେ ସାମିଲ ହୋଇଥିବା ପାରମ୍ପରିକ ଲୋକବାଦ୍ୟ ଓ ଲୋକକଳା ସହ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଓ ଓମ୍ ନମଃ ଶିବାୟ, ହରହର ମହାଦେବ ଭଳି ଧ୍ବନି ଗଗନପବନ ପ୍ରକମ୍ପିତ କରିଥିଲା। ଏକ ଭାବମୟ ପରିବେଶରେ ଦେବଦମ୍ପତି ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ ପାର୍ବତୀ ଆଜି କେଦାରଗୌରୀ ମନ୍ଦିରରୁ ଲିଙ୍ଗରାଜ ମନ୍ଦିରକୁ ବାହୁଡ଼ିଥିଲେ। ସନ୍ଧ୍ୟାର ପୂଜା ନୀତିକାନ୍ତି ପରେ ରାତି୧୧ଟା ୪୦ରେ ଦେବଦମ୍ପତି ଲିଙ୍ଗରାଜ ମନ୍ଦିର ଅଭିମୁଖେ ବାହୁଡ଼ିଥିଲେ। ରଙ୍ଗିନ୍ ଆଲୋକମାଳାରେ ସଜ୍ଜିତ ରାସ୍ତାରେ ଆକର୍ଷଣୀୟ ତୋରଣ ଅତିକ୍ରମ କରି ଦେବଦମ୍ପତିଙ୍କ ବିମାନ ଝୁଲିଝୁଲି ଚାଲିଥିଲା। ମା’ ପାର୍ବତୀ ଓ ଲିଙ୍ଗରାଜ ଗୋଟିଏ ବିମାନରେ ଯାତ୍ରା କରୁଥିବା ବେଳେ ପ୍ରଭୁ ବାସୁଦେବଙ୍କ ସୁସଜ୍ଜିତ ପାଲିଙ୍କି ସମାନ୍ତରାଳ ଭାବେ ଚାଲିଥିଲା। ଆଗେଆଗେ ଚାଲିଥିଲା ବିଶାଳ ପଟୁଆର ଓ ଶୋଭାଯାତ୍ରା। ଉତ୍ତରପ୍ରଦେଶର ଅଘୋରି ନୃତ୍ୟ, ଓଡ଼ିଶାର ଗୋଟିପୁଅ, ଆନ୍ଧ୍ରପ୍ରଦେଶର ସେହେନାଇ, ଢେଙ୍କାନାଳର ମାଦଳ, ଘୋଡ଼ା, ଷଣ୍ଢ, ପୁରୀ ଘଣ୍ଟ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଦୁଲଦୁଲି, ଗଞ୍ଜାମର ଯୋଡ଼ିଶଙ୍ଖ, ଢୋଲ, ମହୁରୀ ସାଙ୍ଗକୁ ଆଦିବାସୀ ନୃତ୍ୟ, ବନ୍ୟଜନ୍ତୁ ବେଶ, କଣ୍ଡେଇ, ଘୋଡ଼ା ନାଚ, ମୟୂରଭଞ୍ଜର ଛଉ, ଦେବଦେବୀ ବେଶ, ବନାଟି ଖେଳ ଆଦି ଶୋଭାଯାତ୍ରାର ଶୋଭା ବଢ଼ାଇଥିଲା। ଦେବଦମ୍ପତି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ପରମ୍ପରା ଅନୁଯାୟୀ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁସାହି, ବଡ଼ୁ ନିଯୋଗ, ପଥୁରିଆ ବଡ଼ୁସାହିଠାରେ ଭୋଗଲାଗି ଓ ଭେଟଆଳତି ନୀତି ସଂପନ୍ନ ହୋଇଥିଲା। ବିଳମ୍ବିତ ରାତିରେ ଦେବଦମ୍ପତିଙ୍କୁ ସ୍ବର୍ଣ୍ଣାଦ୍ରି ବିଜେ କରାଯାଇଥିଲା। ଶୋଭାଯାତ୍ରାରେ ସେବାୟତଙ୍କ ସହ ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ସମୀର ମହାନ୍ତି, ଭୁବନେଶ୍ବର ଶୀତଳଷଷ୍ଠୀ କମିଟି ସଭାପତି ସୁରେଶ କୁମାର ରାଉତରାୟ, ସନତ ମିଶ୍ର, ସମ୍ପାଦକ ପୃଥ୍ବୀକାନ୍ତ ମହାପାତ୍ର, ଅମିୟ ଦାଶ, ରଶ୍ମି ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
