ହୁ ହୁ ହୋଇ ବଢୁଛି କରୋନା ପ୍ରକୋପ

Jun 2, 2025 - 14:02
 5
ହୁ ହୁ ହୋଇ ବଢୁଛି କରୋନା ପ୍ରକୋପ

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ ମାମଲା। ୫ ରାଜ୍ୟରେ ନିଜର ପ୍ରକୋପ ଦେଖାଉଛି କରୋନା। ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୯୬୧ରେ ପହଞ୍ଚିଛି। କେରଳ ଏବେ ସାଜିଛି କରୋନା ରୋଗୀଙ୍କ ହଟସ୍ପଟ। କାରଣ କେରଳରୁ ହିଁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  କେରଳରେ ସର୍ବାଧିକ କରୋନା ରୋଗୀ ସଂଖ୍ୟା ୧୪୩୫। ସେହିପରି ମହାରାଷ୍ଟ୍ରରେ ୫୦୬ଟି କରୋନା ମାମଲା ସାମ୍ନାକୁ ଆସିଛି। ୧୦ ଦିନରେ ୧୫ ଗୁଣା ବଢ଼ିଛି ଆକ୍ରାନ୍ତଙ୍କ ସଂଖ୍ୟା।  ସେପଟେ କରୋନା ମୃତ୍ୟୁ ସଂଖ୍ୟା ପହଞ୍ଚିଲାଣି ୩୨ରେ। ଗତ ୨୪ ଘଣ୍ଟାରେ ୨୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୨୪ ଘଣ୍ଟାରେ ମଲେଣି ୪ ଜଣ।

ଅନ୍ୟପଟେ  ଓଡ଼ିଶାରେ ପ୍ରଥମ କୋଭିଡ ମୃତ୍ୟୁ ଖବରର ସୂଚନା ମିଳିଛି । ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବା କୁହାଯାଉଛି । ଉକ୍ତ ବ୍ୟକ୍ତି ୪ ଦିନ ତଳେ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଏକାଧିକ ଜଟିଳ ରୋଗରେ ପୀଡିତ ଥିଲେ । ତେବେ ରାଜ୍ୟରେ କୋଭିଡ୍ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଯାଏଁ କୌଣସି ସୂଚନା ଦିଆଯାଇନାହିଁ । କରୋନା ସ୍ଥିତି ଦେଖି କର୍ଣ୍ଣାଟକ ସରକାର ସ୍କୁଲ ପିଲାଙ୍କ ପାଇଁ ଅଭିଭାବକଙ୍କୁ ଅପିଲ୍ କରିଛନ୍ତି । ଥଣ୍ଡା, କାଶ, ଜ୍ବର ଏବଂ ଅନ୍ୟ ଲକ୍ଷଣ ଥିଲେ ସ୍କୁଲ ଆସିବାକୁ ମନା କରାଯାଇଛି ।