ହୀରାକୁଦ ଡ୍ୟାମ୍‌ରେ ଜଳଧାରଣା କ୍ଷମତା ପୂର୍ଣ୍ଣ

Sep 30, 2023 - 04:50
 4
ହୀରାକୁଦ ଡ୍ୟାମ୍‌ରେ ଜଳଧାରଣା କ୍ଷମତା ପୂର୍ଣ୍ଣ

ସମ୍ବଲପୁର: ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରେ ଜଳଧାରଣା କ୍ଷମତା ଶୁକ୍ରବାର ପୂର୍ଣ୍ଣ ହୋଇଛି। ସର୍ବାଧିକ ୬୩୦ ଫୁଟ୍‌ ଜଳସ୍ତର କ୍ଷମତା ପୂରା ହୋଇଛି। ପ୍ରତିବର୍ଷ ସେପ୍ଟେମ୍ବର ଶେଷ ବେଳକୁ ଡ୍ୟାମ୍‌ରେ ଜଳସ୍ତର ଏଭଳି ରହିଥାଏ। ଶୁକ୍ରବାରଠାରୁ ପଶ୍ଚିମ ଓଡ଼ିଶା ଓ ହୀରାକୁଦ ଉପରମୁଣ୍ଡରେ ବର୍ଷା ଆରମ୍ଭ ହୋଇଛି। ପାଣିପାଗ ବିଭାଗ ମଧ୍ୟ ଏ ନେଇ ସତର୍କ ସୂଚନା ଦେଇଛି। ଏବେ ଡ୍ୟାମ୍‌ର ୭ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ସମାନ ପରିମାଣ ଜଳ ଚାଷ, ଶିଳ୍ପ, ବିଦ୍ୟୁତ୍‌ ଉତ୍ପାଦନ ଓ ଗେଟ୍‌ ଦେଇ ନିଷ୍କାସନ କରାଯାଉଛି। ବର୍ଷା ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ତେଣୁ ଜଳସ୍ତର ହ୍ରାସ କରିବା ପାଇଁ ଗେଟ୍‌ ଖୋଲିବା ସଂଖ୍ୟା ବୃଦ୍ଧି କରାଯାଇ ପାରେ ବୋଲି ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରତିବର୍ଷ ଡ୍ୟାମ୍‌ର ଜଳସ୍ତର ୬୩୦ଫୁଟ୍‌ ରଖାଯାଇଥାଏ। ଭୟ କରିବାର କିଛି ନାହିଁ। ବର୍ଷା ସମୟରେ ବନ୍ୟାଜଳ ସଂରକ୍ଷିତ କରାଯାଇଥାଏ। ତାହା ବର୍ଷତମାମ ଚାଷ, ବିଦ୍ୟୁତ୍‌ ଉତ୍ପାଦନ, ଶିଳ୍ପ, କଳକାରଖାନାରେ ଖର୍ଚ୍ଚ ହୋଇଥାଏ। ଅଣମୌସୁମୀ ପାଇଁ ଜଳଭଣ୍ଡାରକୁ ପୂରା କରାଯାଇଥାଏ। ଏବେ ପ୍ରବେଶ କରୁଥିବା ପରିମାଣ ଅନୁସାରେ ଜଳ ନିଷ୍କାସନ କରାଯାଉଛି। ଶନିବାରଠାରୁ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ତେଣୁ ଗେଟ୍‌ ସଂଖ୍ୟା ଖୋଲି ଡ୍ୟାମ୍‌କୁ ଖାଲି କରାଯିବ। ଆକ୍ଟୋବର ଶେଷସୁଦ୍ଧା ପୁଣି ଜଳସ୍ତର ୬୩୦ଫୁଟ୍‌ ରଖାଯିବ। ଅରେଞ୍ଜ ଜୋନ ଘୋଷଣା ହୋଇଥିବାରୁ ୭୦ ସେମିରୁ ୨୦୦ ସେମି ପର୍ୟ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ଜଳଭଣ୍ଡାର ପକ୍ଷରୁ ପ୍ରସ୍ତୁତି କରାଯାଉଛି ବୋଲି ସେ କହିଥିଲେ।