ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କଲେ ୫ ଲକ୍ଷରୁ ଅଧିକ ଭକ୍ତ

More than 5 lakh devotees visit Lord jagannath on New Year's Day

Jan 2, 2024 - 05:02
 8
ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କଲେ ୫ ଲକ୍ଷରୁ ଅଧିକ ଭକ୍ତ

ପୁରୀ: ନୂଆ ବର୍ଷରେ ଶ୍ରୀକ୍ଷେତ୍ରରେ ଜନସମୁଦ୍ର । ମହାପ୍ରଭୁଙ୍କୁ ଦର୍ଶନ କଲେ ରେକର୍ଡ ୫ ଲକ୍ଷରୁ ଅଧିକ ଭକ୍ତ । ଭକ୍ତଙ୍କୁ ଆକୃଷ୍ଟ କରିଛି ବହୁ ଆକାଂକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।  ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବାକୁଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦେଖିବା ସହ ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲକ୍ଷଲକ୍ଷ ଭକ୍ତ ପୁରୀରେ ରାତି  ୧୨ଟା ପୂର୍ବରୁ ଧାଡ଼ି ବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।

ପ୍ରଶାସନ, ପୁଲିସର ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ନୂଆବର୍ଷର ପ୍ରଥମ ଦିନରେ ବାଧାମୁକ୍ତ ଦର୍ଶନର ଦିବ୍ୟ ଅନୁଭବ ଲାଭ କରିଛନ୍ତି । ନୂଆ ବର୍ଷରେ ପ୍ରଥମଥର ଏତେ ସଂଖ୍ୟକ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପହଞ୍ଚିଥିଲେ  । ତଥାପି ସେମାନଙ୍କୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନାହିଁ । ଭକ୍ତମାନେ ଶୀତତାପ ନିୟନ୍ତ୍ରିତ ଟନେଲ ଓ ଅଭ୍ୟର୍ଥନା କେନ୍ଦ୍ର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ସହ ମହାପ୍ରଭୁଙ୍କୁ ଦର୍ଶନ ପରେ ଉତ୍ତରଦ୍ୱାର ଦେଇ ମନ୍ଦିରରୁ ବାହାରିଥିଲେ । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଶିଶୁଙ୍କୁ ସାଥୀରେ ନେଇ ଆସିଥିବା ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ଯୋଗୁଁ ସେମାନେ ବିନା ବାଧାରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିୟମିତ ଭାବରେ ଏହାର ଅନୁଧ୍ୟାନ କରୁଛନ୍ତି  । ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ଓ ଏହାର ଚତୁଃର୍ପାର୍ଶ୍ବରେ ସୁବିଧା ସୁଯୋଗ କରାଯାଇଛି । ଏପରିକି ପରିକ୍ରମା ଅଞ୍ଚଳ ମଧ୍ୟରେ ଭକ୍ତଙ୍କ ବାଧାମୁକ୍ତ ବିଚରଣ, ଶ୍ରୀମନ୍ଦିରର ଚତୁଃପାର୍ଶ୍ବ ଦର୍ଶନ, ପରିକ୍ରମଣ ଏବଂ ବଡ଼ ଦେଉଳରେ ପ୍ରତିଦିନ ହେଉଥିବା ପତାକା ପରିବର୍ତ୍ତନର ଦୃଶ୍ୟ ଦର୍ଶନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ମେଘନାଦ ପାଚେରୀ ଚାରିପଟେ ଅଳ୍ପ ଦୂରତାରେ ଖଣ୍ଡେଲାଇଟ୍ ପଥରେ ସ୍ୱଳ୍ପ ଉଚ୍ଚତାର ପଥର ବ୍ୟାରିକେଡ଼ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି । ସେହିପରି ସ୍ଥାନାନ୍ତରଣକ୍ଷମ ଗଛ ଚାରା ମନ୍ଦିର ଚାରିପଟେ ଘନ ସବୁଜ ଉଦ୍ୟାନର ଭ୍ରମ ସୃଷ୍ଟି କରିଛି । ପୁରୀ ଜନସାଧାରଣ, ଛୋଟ ବ୍ୟବସାୟୀ, ସେବାୟତମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ତାହା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି । ଯେଉଁଥିପାଇଁ ପୁରୀକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ପୂର୍ବରୁ ନୂଆ ବର୍ଷରେ ପୁରୀକୁ ଲକ୍ଷେରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହେଉଥିବାବେଳେ ଚଳିତ ବର୍ଷ ଏହା ୩ରୁ ୪ଗୁଣ ବୃଦ୍ଧି ପାଇ ୫ ଲକ୍ଷ ଅତିକ୍ରମ କରିଛି । ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ଲାଭ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋଭନୀୟ ଶୋଭା ଭକ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛି।