ସରକାରୀ ଡାକ୍ତରଖାନାରେ ଏବେ ୧୪୫୪ ଡାକ୍ତର ପଦବି ଖାଲି

Sep 27, 2023 - 06:21
 2
ସରକାରୀ ଡାକ୍ତରଖାନାରେ ଏବେ ୧୪୫୪ ଡାକ୍ତର ପଦବି ଖାଲି

ଭୁବନେଶ୍ୱର: ଓଡ଼ିଶାର  ସରକାରୀ ଡାକ୍ତରଖାନାରେ ଏବେ ୧୪୫୪ଟି  ଡାକ୍ତର ପଦବି ଖାଲି ପଡ଼ିଛି । ପାଖାପାଖି  ୨ହଜାର ଫାର୍ମାସିଷ୍ଟ ଓ ଲାବ୍‌ ଟେକ୍ନିସିଆନ୍‌ ଓ  ୧୭ହଜାରରୁ ଅଧିକ ନର୍ସିଂ ଅଫିସର ପଦବି  ମଧ୍ୟ ଖାଲି ଅଛି । ୧୦୫ଟି ହୋମିଓପାଥିକ ଡାକ୍ତର ପଦବି ଖାଲି । ଏହି ପଦବି ପୂରଣ  ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ  ଗ୍ରହଣ କରାଯାଉଛି । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପ୍ରଦତ୍ତ ସୂଚନା ମୁତାବକ ରାଜ୍ୟରେ ମୋଟ  ୧୦ହଜାର ୭୭୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର  ପଦବି ରହିଛି । ସେଥିମଧ୍ୟରୁ ୯ହଜାର  ୩୨୦ଟିରେ ଡାକ୍ତର ଅଛନ୍ତି । ଇତିମଧ୍ୟରେ ରାଜ୍ୟ ସରକାର ନୂଆକରି ୫ହଜାର କନିଷ୍ଠ ଡାକ୍ତର ପଦବି ପ୍ରଥମ ଶ୍ରେଣୀ ପାହ୍ୟାରେ  ସୃଷ୍ଟି କରିଛନ୍ତି । ଫଳରେ ମଞ୍ଜୁରୀପ୍ରାପ୍ତ  ଡାକ୍ତର ପଦବି ସଂଖ୍ୟା ୧୫ହଜାର  ୭୭୪କୁ ବୃଦ୍ଧି ପାଇଛି । ଇତିମଧ୍ୟରେ ୭ହଜାର ୨୭୬ଟି ଖାଲିପଡ଼ିଥିବା ଡାକ୍ତର ପଦବି ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ ବିଜ୍ଞାପନ ପ୍ରକାଶ କରିଛନ୍ତି ।  

ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀ ସୂଚାଇଛନ୍ତି,  ଖାଲିପଡ଼ିଥିବା ୯୨୧ ଲାବ୍‌ ଟେକ୍ନିସିଆନ୍‌  ପଦବି ପୂରଣ ଲାଗି ଓଡ଼ିଶା ଅଧସ୍ତନ  କର୍ମଚାରୀ ଚୟନ ଆୟୋଗ ପଦକ୍ଷେପ ଆରମ୍ଭ କରିଛନ୍ତି । ସେହିପରି ୮୫୩୧  ନର୍ସିଂ ଅଫିସର ପଦବି ପୂରଣ ପାଇଁ ମଧ୍ୟ  ଆୟୋଗକୁ ବିଭାଗ କହିଛି । ରାଜ୍ୟରେ  ୫୯୫ଟି ମଞ୍ଜୁରୀପ୍ରାପ୍ତ ହୋମିଓପାଥିକ  ଡାକ୍ତର ପଦବି ମଧ୍ୟରୁ ୧୦୫ଟି ପଦବି  ଖାଲିପଡ଼ିଛି । ବିଧାୟକ ଗଣେଶ ରାମସିଂ  ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତରରେ  ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି ।