ତିନିଦିନ ପାଇଁ ବନ୍ଦ ରହିବ ଦିଲ୍ଲୀରେ ଅନଲାଇନ ଡେଲିଭରି

Sep 5, 2023 - 13:51
 5
ତିନିଦିନ ପାଇଁ  ବନ୍ଦ ରହିବ ଦିଲ୍ଲୀରେ ଅନଲାଇନ ଡେଲିଭରି

ନୂଆଦିଲ୍ଲୀ: ଦିଲ୍ଲୀରେ ଅନଲାଇନ ଅର୍ଡର କରୁଥିବା ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ଅନଲାଇନ ଅର୍ଡର କରୁଥିବା ଗ୍ରାହକ ଅ‌ାଗାମୀ ତିନିଦିନ ପର୍ଯ୍ୟନ୍ତ ଖାଦ୍ୟ  ଅର୍ଡର କରି ପାରିବେ ନାହିଁ। ଦିଲ୍ଲୀ ପୁଲିସ ଘୋଷଣା କରି କହିଛି କି, ଦିଲ୍ଲୀରେ ଆସନ୍ତା ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଜି-୨୦ ଶିଖର ସମ୍ମିଳନୀ ଚାଲିବ। ଏଥିପାଇଁ ୧୯ଟି ଦେଶରୁ ନେତାମାନେ ଦିଲ୍ଲୀରେ ଆସି ପହଞ୍ଚିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯିବା ସହିତ ସମଗ୍ର ଦିଲ୍ଲୀକୁ ସଜା ଯାଉଛି।ଏହି ସମୟରେ ଦିଲ୍ଲୀବାସୀଙ୍କୁ ଅନଲାଇନ୍ ଅର୍ଡର ଡେଲିଭରି ସହିତ ଅନେକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ। 

ଦିଲ୍ଲୀ ଟ୍ରାଫିକର ସ୍ପେଶାଲ ପୁଲିସ କମିଶନର ଏସ୍‌.ଏସ୍ ଯାଦବ କହିଛନ୍ତି, ଯେ କେବଳ ଡାକ, ମେଡିକାଲ, ଲ୍ୟାବ ଟେଷ୍ଟ୍‍ ପାଇଁ ନମୁନା ନେବା ଭଳି ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ। ଔଷଧ ବ୍ୟତୀତ ସମସ୍ତ ଅନଲାଇନ୍ ଡେଲିଭରି ସେବା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ରହିବ। ଏଥିସହିତ ବାଣିଜ୍ୟିକ କାର୍ଯ୍ୟକଳାପକୁ ମଧ୍ୟ ଅନୁମତି ଦିଆଯିବ ନାହିଁ। ଆମାଜନ ଓ ଫ୍ଲିପକାର୍ଟ ଭଳି କମ୍ପାନି ମାଧ୍ୟମରୁ ଅର୍ଡର କରାଯାଉଥିବା ଡେଲିଭରି ଉପରେ ବି ତିନିଦିନ ପର୍ଯ୍ୟନ୍ତ ପ୍ରତିବନ୍ଧକ ରହିବ।

ଭିଆଇପି ମୁଭ୍‌ମେଣ୍ଟ୍‌ ଏବଂ ସୁରକ୍ଷା କାରଣରୁ ମେଟ୍ରୋ ଷ୍ଟେସନଗୁଡ଼ିକରେ ୧୦-୧୫ ମିନିଟ୍ ପାଇଁ ଗେଟ୍‌ ବନ୍ଦ ହୋଇପାରେ। କିନ୍ତୁ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ଅନ୍ୟ ଷ୍ଟେସନଗୁଡ଼ିକରେ ମେଟ୍ରୋ ସେବା ପ୍ରଭାବିତ ହେବ ନାହିଁ। ଏଥିସହିତ ଜିଲ୍ଲା ମଧ୍ୟରେ ହୋଟେଲ, ରେଲେଓ୍ଵ, ବିମାନବନ୍ଦର ଯାଉଥିବା ଯାତ୍ରୀମାନଙ୍କୁ ନିଜର ବୋର୍ଡିଂ ପାସ୍ ଏବଂ ବୁକିଂ ଡକ୍ୟୁମେଣ୍ଟ୍ ଦେଖାଇବା ପରେ ହିଁ ସେମାନଙ୍କୁ ଯିବାକୁ ଅନୁମତି ଦିଆଯିବ।