ଶ୍ରୀଲଙ୍କା ଭାରତକୁ ମଞ୍ଜୁର କଲା ମାଗଣା ଭିସା

Oct 25, 2023 - 07:42
Oct 25, 2023 - 07:49
 6
ଶ୍ରୀଲଙ୍କା ଭାରତକୁ ମଞ୍ଜୁର କଲା ମାଗଣା ଭିସା

ନୂଆଦିଲ୍ଲୀ : ଶ୍ରୀଲଙ୍କା ଋଣଭାରରେ ବୁଡ଼ି ରହିଥିବା ବେଳେ ଏହି ଦ୍ୱୀପଦେଶ ନିଜର ପର୍ଯ୍ୟଟନ କ୍ଷେତ୍ରର ପୁନରୁଦ୍ଧାର ଲାଗି ପ୍ରୟାସ ଚଳାଇଛି। ଏହିକ୍ରମରେ ଭାରତ ଏବଂ ଅନ୍ୟ ୬ଟି ଦେଶରୁ ଶ୍ରୀଲଙ୍କା ଆସୁଥିବା ନାଗରିକଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବାକୁ ଶ୍ରୀଲଙ୍କା କ୍ୟାବିନେଟ୍‌ ନିଷ୍ପତ୍ତି ନେବା ସହ ଏହି ନୀତିକୁ ଅନୁମୋଦନ କରିଛି ବୋଲି ମଙ୍ଗଳବାର ଦିନ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲ୍ଲୀ ସାବରୀ କହିଛନ୍ତି। ବୈଦେଶିକ ମନ୍ତ୍ରୀ ସାବରୀ ଏକ ବିବୃତିରେ କହିଛନ୍ତି ଯେ ଏହା ଏକ ପାଇଲଟ୍‌ ପ୍ରୋଜେକ୍ଟ ଭାବରେ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। 

ଭାରତ, ଚୀନ, ରୁଷିଆ, ମାଲେସିଆ, ଜାପାନ, ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ଦେଶ ଭିତରକୁ ମାଗଣା ପ୍ରବେଶକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ଏହି ସବୁ ଦେଶର ପର୍ଯ୍ୟଟକମାନେ ଶ୍ରୀଲଙ୍କା ଗସ୍ତ ସମୟରେ ବିନା ଶୁଳ୍କରେ ଭିସା ପାଇ ପାରିବେ। ଭାରତ ପାରମ୍ପରିକ ଭାବେ ଶ୍ରୀଲଙ୍କାର ଶୀର୍ଷ ପର୍ଯ୍ୟଟନ ବଜାର। ସେପ୍ଟେମ୍ବର ମାସରେ ପର୍ଯ୍ୟଟକ ଆଗମନ ସଂଖ୍ୟାରେ ଭାରତ ୩୦,୦୦୦ରୁ ଅଧିକ ବା ୨୬ ପ୍ରତିଶତ ପର୍ଯ୍ୟଟକଙ୍କ ସହ ଶୀର୍ଷରେ ଥିବା ବେଳେ ଚୀନ୍‌ ପର୍ଯ୍ୟଟକମାନେ ଦ୍ୱିତୀୟ ବୃହତ୍ତମ ଗୋଷ୍ଠୀ ଭାବେ ୮,୦୦୦ରୁ ଅଧିକ ସଂଖ୍ୟାରେ ଆଗମନ କରିଥିଲେ। ୨୦୧୯ର ଇଷ୍ଟର ସନେ୍‌ଡ ବୋମା ବିସ୍ଫୋରଣ ପରେ ଏହି ଦ୍ୱୀପକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଥିଲା, ଯେଉଁଥିରେ ୧୧ ଭାରତୀୟଙ୍କ ସମେତ ୨୭୦ ଜଣ ପ୍ରାଣ ହରାଇଥିଲେ ଏବଂ ୫୦୦ରୁ ଅଧିକ ଆହତ ହୋଇଥିଲେ।