ନିଦ୍ରାହିନତା ଆପଣଙ୍କ ଚିନ୍ତାର କାରଣ ସାଜିଛି କି ?

Sep 1, 2023 - 08:43
 6
ନିଦ୍ରାହିନତା  ଆପଣଙ୍କ ଚିନ୍ତାର କାରଣ ସାଜିଛି କି ?

ସୁସ୍ଥ ରହିବା ଅନ୍ତରାଳରେ ସୁଖନିଦ୍ରାର ଭୂମିକା ବି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ଦୈନିକ ପର୍ଯ୍ୟାପ୍ତ ନିଦ୍ରାର ଅଭାବ ସୃଷ୍ଟି କରିଥାଏ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା। ତେବେ ବର୍ତ୍ତମାନ ଅନେକ ଯୁବତୀଯୁବକ ଏହାର ଶିକାର ହେଉଥିବାର ଦେଖିବାକୁ ମିଳୁଛି, ଯେଉଁଥିପାଇଁ ମୁଖ୍ୟତଃ ସେମାନଙ୍କ ଅବ୍ୟବସ୍ଥିତ ଜୀବନଶୈଳୀ ସାଙ୍ଗକୁ କେତେକ ବଦଭ୍ୟାସ ଦାୟୀ…

ନିଦ୍ରାହୀନତାର କାରଣ: ଶରୀରକୁ ସୁସ୍ଥ ରଖିବାରେ ପର୍ଯ୍ୟାପ୍ତ ନିଦ୍ରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କ କ୍ଷେତ୍ରରେ ଠିକ୍‌ ଭାବେ ନିଦ ନ ଆସିବା ବା ନିଦ୍ରାହୀନତାର ଅଭିଯୋଗ ଦେଖିବାକୁ ମିଳୁଛି, ତେବେ ଏଥିପାଇଁ ମୁଖ୍ୟତଃ କେଉଁସବୁ କାରଣ ଦାୟୀ…

ଅବ୍ୟବସ୍ଥିତ ଜୀବନଶୈଳୀ: ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କଠାରେ ଅବ୍ୟବସ୍ଥିତ ଜୀବନଶୈଳୀ ନିଦ୍ରାହୀନତାର ଏକ ମୁଖ୍ୟ କାରଣ। ରାତିରେ ଅଧିକ ରାତି ପର୍ଯ୍ୟନ୍ତ କାମ କରିବା, ଟିଭି ଦେଖିବା, ମୋବାଇଲ୍‌ ବ୍ୟବହାର କରିବା ଆଦି ବଦଭ୍ୟାସ କେତେକଙ୍କଠାରେ ନିଦ ଠିକ୍‌ ଭାବେ ନ ହେବାର ମୂଳ କାରଣ।
ଅସନ୍ତୁଳିତ ଖାଦ୍ୟାଭ୍ୟାସ: ଏବର ଯୁବପିଢ଼ି ଘରୋଇ ସନ୍ତୁଳିତ ଖାଦ୍ୟ ବଦଳରେ ତେଲ ମସଲାଯୁକ୍ତ ଖାଦ୍ୟ ଏବଂ ଜଙ୍କ୍‌ ଫୁଡ୍‌, ଫାଷ୍ଟ ଫୁଡ୍‌ ଆଦି ଅଧିକ ଖାଉଛନ୍ତି। ଏହାଦ୍ୱାରା ଗ୍ୟାସ୍‌, ବଦହଜମିଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ୟା ଉପୁଜାଉଛି, ଯାହାକି ନିଦ୍ରାହୀନତାର ଅନ୍ୟତମ କାରଣ।

ନିଶାସେବନ: ଆଜିକାଲି ଅନେକ ଯୁବତୀଯୁବକ ମଦ ପିଇବା, ସିଗାରେଟ୍‌ ଟାଣିବା ଭଳି ବିଭିନ୍ନ ନିଶାଦ୍ରବ୍ୟ ସେବନ କରିବାକୁ ଏକ ଫ୍ୟାଶନ୍‌ କିମ୍ବା ଷ୍ଟାଟସ୍‌ ସିମ୍ବଲ ଭାବେ ଗ୍ରହଣ କରିନେଲେଣି। ହେଲେ ଏହା ଶରୀର ଲାଗି ଆଦୌ ହିତକର ନୁହେଁ ା ଏହା ବିଭିନ୍ନ ରୋଗ ସୃଷ୍ଟି କରିବା ସହତ ନିଦ୍ରାହୀନତାର ମଧ୍ୟ ମୁଖ୍ୟ କାରଣ।
ମାନସିକ ଚାପ: ପାଠପଢ଼ା, ଜବ୍‌, ପାରିବାରିକ, ଆର୍ଥିକ କିମ୍ବା ପ୍ରେମରେ ବିଫଳ ହେବା ଭଳି କେତେକ କାରଣ ଯୋଗୁ ମାନସିକ ଚାପ ଥିଲେ ରାତ୍ରି ନିଦ୍ରା ବ୍ୟାହତ ହୋଇଥାଏ।

ଏହାଦ୍ୱାରା ସୃଷ୍ଟ ସ୍ବାସ୍ଥ୍ୟ ସମସ୍ୟା:

ରାତିରେ ଠିକ୍‌ ଭାବେ ନିଦ ନ ହେଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ଏହାଦ୍ୱାରା ମସ୍ତିଷ୍କକୁ ବିଶ୍ରାମ ନ ମିଳୁଥିବାରୁ ଏକାଗ୍ରତା ନଷ୍ଟ ହେବା, ସ୍ମରଣ ଶକ୍ତି ହ୍ରାସ ହେବା, ବିରକ୍ତି ବା କ୍ରୋଧ ସୃଷ୍ଟି ହେବା, ଡିପ୍ରେସନ୍‌ ଭଳି ସମସ୍ୟା ଦେଖାଦିଏ।
– ଏହାଦ୍ୱାରା ଖାଦ୍ୟ ହଜମ ବାଧାପ୍ରାପ୍ତ ହୋଇ ଗ୍ୟାସ୍‌, ଏସିଡିଟି, ମେଦବହୁଳତା ଆଦି ସମସ୍ୟା ଉପୁଜେ।
– ନିଦ୍ରାହୀନତା ଯୋଗୁ ଯୁବାବସ୍ଥାରେ କୋଲେଷ୍ଟରଲ୍‌ ବୃଦ୍ଧି, ବ୍ଲଡ୍‌ପ୍ରେସର୍‌, ଡାଇବେଟିସ୍‌ ଭଳି ସମସ୍ୟା ମଧ୍ୟ ଦେଖାଦିଏ। ଦୀର୍ଘ ସମୟ ଏପରି ହେବା ଦ୍ୱାରା ହୃଦ୍‌ ସମସ୍ୟାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ।
– ରାତିରେ ପର୍ଯ୍ୟାପ୍ତ ନିଦ ନ ହେଲେ ଆଖି ତଳ କଳା ପଡିବା, ମୁହଁରେ ବ୍ରଣଏ ରିଙ୍କଲ୍‌ ମାର୍କ ଆଦି ସହିତ କେଶ ଝଡିବା ଭଳି ସମସ୍ୟା ବି ଦେଖା ଦେଇଥାଏ।

କେମିତି କରିବେ ସମାଧାନ:

– ଶରୀରକୁ ଫିଟ୍‌ ରଖିବାକୁ ହେଲେ ଜୀବନଶୈଳୀକୁ ବ୍ୟବସ୍ଥିତ କରନ୍ତୁ। ସମସ୍ତ କାର୍ଯ୍ୟ ବାଦ୍‌ ପ୍ରତିଦିନ ଶୋଇବା ଲାଗି ଅତିକମ୍‌ରେ ୬ ରୁ ୭ ଘଣ୍ଟାର ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରନ୍ତୁ।
– ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ଉଷୁମ କ୍ଷୀର ପିଇଲେ ଆପଣଙ୍କ ସମସ୍ୟାରୁ ଉପଶମ ମିଳିପାରିବ।
– ପ୍ରତିଦିନ କିଛି ସମୟ ଯୋଗ, ଆସନ, ପ୍ରାଣାୟାମ, ବ୍ୟାୟାମ ଆଦିର ଅଭ୍ୟାସ ରଖନ୍ତୁ। ଏହା ଶରୀରକୁ ଫିଟ୍‌ ରଖିବା ସହ ସୁଖନିଦ୍ରା କରିବାରେ ସାହାଯ୍ୟ କରିବ।
– ନିଶାସେବନ ନିଦ୍ରାହୀନତାର ଏକ ମୁଖ୍ୟ କାରଣ। ସୁଖନିଦ୍ରା ପାଇଁ ଏହି ବଦଭ୍ୟାସଠାରୁ ନିଜକୁ ଦୂରେଇ ରଖନ୍ତୁ।
– ମୋବାଇଲ୍‌, କମ୍ପ୍ୟୁଟର ଆଦି ବିଶେଷକରି ସୋସିଆଲ୍‌ ସାଇଟ୍‌ ଅଧିକ ରାତିଯାଏ ବ୍ୟବହାର କରନ୍ତୁ ନାହିଁ। ଏସବୁ କାର୍ଯ୍ୟ ଲାଗି ଏକ ସମୟ ନିର୍ଦ୍ଧାରଣ କରନ୍ତୁ ଏବଂ ଭଲ ଭାବେ ଶୁଅନ୍ତୁ।
– ସ୍ଲୋ ମ୍ୟୁଜିକ୍‌ ମନକୁ ଚାପମୁକ୍ତ କରିବା ସହ ଶାନ୍ତ ଓ ସ୍ଥିର ରଖିବାରେ ସାହାଯ୍ୟ କରେ। ଆଉ କିଛି ସମୟ ଏହାକୁ ଶୁଣିଲେ ଭଲ ନିଦ ମଧ୍ୟ ଆସିଥାଏ।
– ବିଶେଷକରି ଖାଦ୍ୟ ତାଲିକାରେ ଭିଟାମିନ୍‌ ବି-୧୨ ଯୁକ୍ତ ଖାଦ୍ୟକୁ ସାମିଲ କଲେ ମେଲାଟୋନିନ୍‌ ହର୍‌ମୋନ୍‌ର କ୍ଷରଣକୁ ବୃଦ୍ଧି ହେବା ସହ ନିଦ୍ରାହୀନତା ଦୂର ହେବ।