ବର୍ଷ ଶେଷ ସୁଦ୍ଧା ୩୫ହଜାର ଶିକ୍ଷକ ନିଯୁକ୍ତି

Aug 31, 2023 - 07:54
 3
ବର୍ଷ ଶେଷ ସୁଦ୍ଧା ୩୫ହଜାର ଶିକ୍ଷକ ନିଯୁକ୍ତି

ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷାକୁ ସର୍ବଦା ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା ରୂପାନ୍ତରଣରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସମସ୍ତ ଶିକ୍ଷକ ପଦ ପୂରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଚଳିତ ବର୍ଷ ଶେଷ ସୁଦ୍ଧା ଗଣଶିକ୍ଷା ବିଭାଗ ଅଧୀନରେ ୩୫ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇବେ। ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରରେ ଶିକ୍ଷକ ନିଯୁକ୍ତି ପାଇବାକୁ ଥିବାବେଳେ ଗଣଶିକ୍ଷା ବିଭାଗ ରୋଡମ୍ୟାପ୍‌‌ ପ୍ରସ୍ତୁତ କରିଛି।

୭୫୪୦ ମାଧ୍ୟମିକ ଶିକ୍ଷକଙ୍କ ନିଯୁକ୍ତି ପାଇଁ ମେନ୍‌‌(ମୁଖ୍ୟ) ପରୀକ୍ଷା ସାରି ଅକ୍ଟୋବର ଶେଷ ସୁଦ୍ଧା ନୂଆ ଶିକ୍ଷକମାନଙ୍କୁ ନିଯୁକ୍ତି ଦେବା ପାଇଁ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ଏହାପରେ ଏଲ୍‌‌ଟିଆର୍‌‌ପିର ୬,୫୦୦ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବ। ସେହିପରି ୨୦ହଜାର ପ୍ରାଥମିକ ଶିକ୍ଷକଙ୍କ ସମେତ ୨୦୬୪ ମାଧ୍ୟମିକ ଶିକ୍ଷକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ପାଖାପାଖି ୨ହଜାର ଶିକ୍ଷକ ନିଯୁକ୍ତି ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ସୁଦ୍ଧା ସାଢ଼େ ସାତ ହଜାର ମାଧ୍ୟମିକ ସ୍କୁଲ ଶିକ୍ଷକ ନିଯୁକ୍ତି କାର୍ୟ୍ୟ ଶେଷ ହେବ। ଏହି ଏହି ପର୍ୟ୍ୟାୟ ନିଯୁକ୍ତି ଶେଷ ହେବା ପରେ ଓଏସଏସସି ୬୫୦୦ ଏଲଟିଆରପି (ଲିଭ୍‌‌ ଏଣ୍ଡ ଟ୍ରେନିଂ ରିଜର୍ଭ ପୋଷ୍ଟ) ଶିକ୍ଷକ ନିଯୁକ୍ତି ପାଇିଁ ପ୍ରକ୍ରିୟା ଆରମ୍ଭ ହେବ।
ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏ ସମ୍ପର୍କରେ ସବିଶେଷ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ସମସ୍ୟା ଦୂର କରିବାକୁ ୬୦୨୫ଟି ଏଲଟିଆର୍‌‌ (ଛୁଟି ଓ ପ୍ରଶିକ୍ଷଣ ପାଇଁ ସଂରକ୍ଷିତ) ଶିକ୍ଷକ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହାବ୍ୟତୀତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଭାବ ପୂରଣ ପାଇଁ ୨୦ହଜାର କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିରେ ନିଯୁକ୍ତି ପାଇବେ। ଓସେପା ପକ୍ଷରୁ ଏନେଇ ବିଜ୍ଞପ୍ତି ଖୁବଶୀଘ୍ର ପ୍ରକାଶ ଯାଉଛି। କେନ୍ଦ୍ରୀୟ ଶିକ୍ଷକ ଚୟନ ସଂସ୍ଥା ‘ଏଡିସିଲ୍‌‌’ ନିଯୁକ୍ତି ପାଇଁ ଆଶାୟୀଙ୍କ ଦକ୍ଷତା ପରୀକ୍ଷା କରିବ।