୫-ଟି ସଚିବଙ୍କୁ ଯେଉଁମାନେ ଟାର୍ଗେଟ କରୁଛନ୍ତି, ସେମାନେ ନିଜ ସ୍ୱାର୍ଥକୁ ଦେଖୁଛନ୍ତି: ଉମାକାନ୍ତ ସାମନ୍ତରାୟ

Aug 27, 2023 - 09:09
 3
୫-ଟି ସଚିବଙ୍କୁ ଯେଉଁମାନେ ଟାର୍ଗେଟ କରୁଛନ୍ତି, ସେମାନେ ନିଜ ସ୍ୱାର୍ଥକୁ ଦେଖୁଛନ୍ତି: ଉମାକାନ୍ତ ସାମନ୍ତରାୟ

ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲ ସମ୍ପାଦକୀୟକୁ ନେଇ ପୁଣି ରାଜନୈତିକ ଚର୍ଚ୍ଚା ସୃଷ୍ଟି ହୋଇଛି । ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ଏକ ସମ୍ପାଦକୀୟ ଲେଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।  ସୌମ୍ୟରଞ୍ଜନଙ୍କ ଆଲେଖ୍ୟକୁ ନେଇ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ  କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରେ ୫-ଟି ସଚିବ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଗ୍ରହଣ କରୁଛନ୍ତି ଓ ତୁରନ୍ତ ସମାଧାନ କରୁଛନ୍ତି। ସେ କୌଣସି ଦଳ ପାଇଁ ପ୍ରଚାର କରୁ ନାହାନ୍ତି। ହେଲେ ଯେଉଁମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି, ସେମାନେ ବିକାଶ ନୁହେଁ ନିଜ ସ୍ୱାର୍ଥକୁ ଦେଖୁଛନ୍ତି। ଏହା ନିନ୍ଦନୀୟ, ଯେଉଁ ଦଳ ତାଙ୍କୁ ଟିକେଟ ଦେଇ ଜିତାଇଲା, ସେଥିରେ ବି ଏପରି କହିବା ସ୍ୱାର୍ଥପର କଥା ବୋଲି ଉମାକାନ୍ତ ସାମନ୍ତରାୟ କହିଛନ୍ତି।

ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ଏକ ସମ୍ପାଦକୀୟ ଲେଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଏଥିରେ ସେ ଫାଇଭ ଟି ସଚିବଙ୍କ ଗସ୍ତ ସଂପର୍କରେ ଉଲ୍ଲେଖ କରି ଲେଖିଛନ୍ତି ପ୍ରଥମ କେତୋଟି ଜିଲ୍ଲା ଗସ୍ତ ସମୟରେ କେବଳ ମହିଳା ସଂୟ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ରହୁଥିବା ବେଳେ ଏବେ ଏବେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ କରାଯାଉଛି ।

୫-ଟି ସଚିବ ହ୍ୟାଲିକ୍ପଟରରେ ଓହ୍ଲାଇ ସଭା ସ୍ଥଳକୁ ଯାଉଛନ୍ତି । ହଜାର ହଜାର ମହିଳା ଓ ଛାତ୍ରଛାତ୍ରୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଉଛନ୍ତି । ସଚିବ ସମବେତ ଜନତାଙ୍କ ନିମନ୍ତେ ଏକ ସ୍ୱଳ୍ପ ବକ୍ତବ୍ୟ ରଖୁଛନ୍ତି । ହଜାର ହଜାର ମହିଳା ଓ ଛାତ୍ରଛାତ୍ରୀଙ୍କୁ ଦେଖି ସେ ବୋଧେ ଆତ୍ମବିଭୋର ହୋଇପଡି ଉଚିତ ଅନୁଚିତର ପ୍ରଭେଦ ଭୁଲି ଗଲେ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କଥା ଉଠାଇ ଲେଖିଛନ୍ତି ୧୯୭୧ ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ସଚିବ ୟସପାଲ କାପୁର ପ୍ରଚାର କାର୍ୟ୍ୟରେ ସହାୟତା କରି ତାଙ୍କ ସପକ୍ଷରେ ନିର୍ବାଚନୀ ଭାଷଣ ଦେଇଥିବାରୁ ଆହ୍ୱାବାଦ ହାଇକୋର୍ଟ ଶ୍ରୀମତି ଗାନ୍ଧୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । ପରେ ଶ୍ରୀମତୀ ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଆମ ଗଣତାନ୍ତ୍ରିକ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିଲେ । ପାଣ୍ଡିଆନ୍ ସାହେବଙ୍କର ଏହି ଆଚରଣ ୟସପାଲ କାପୁରଙ୍କଠାରୁ କୌଣସି ଗୁଣରେ ଭିନ୍ନ ନୁହଁ ।

ଚର୍ଚ୍ଚାରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ ଉଠାଇ ଲେଖିଛନ୍ତି, ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଯାହା ଘଟିଲା ତାହା ଆଖିକୁ ସୁନ୍ଦର ଦେଖାଯାଉନାହିଁ । ସାରା ଦେଶରେ ଚର୍ଚ୍ଚାରେ ଥିବା ଇସ୍ରୋର ଚନ୍ଦ୍ର ଅଭିଯାନର କଥାକୁ ଉଠାଇ ଲେଖିଛନ୍ତି, ଇସ୍ରୋ ସଂସ୍ଥା ସମୁଦାୟ ଚନ୍ଦ୍ରବତରଣ ଅଭିଯାନରେ ମାତ୍ର ୬୦୦ କୋଟି ଟଂକା ଖର୍ଚ୍ଚ କରିଥିବା ବେଳେ ଆମ ୫ଟି ସଚିବ ୩୦ଟି ଜିଲ୍ଲା ଭ୍ରମଣରେ ପାଖାପାଖି ସେତିକି ଖର୍ଚ୍ଚ କରିଥିବେ ବୋଲି ଅଭିଯୋଗ କରାଯାଉଛି । ସାରା ଦେଶ ଚନ୍ଦ୍ରବତାରଣକୁ ଗ୍ରହଣ କରିଥିବା ବେଳେ ଆମେ ଓଡିଶାରେ ପାଣ୍ଡିଆନ ସାହେବଙ୍କ ଓଡିଶା ଭ୍ରମଣକୁ ଅଧିକ ଗୁରୁତ୍ୱ ଦେଇ ଗ୍ରହଣ କରିନେଇଥିବା ପରି ମନେ ହେଉଛି ବୋଲି ଆମ ଘର ହାଲଚାଲରେ ଲେଖିଛନ୍ତି ସୌମ୍ୟ ରଂଜନ ପଟ୍ଟନାୟକ ।