ଭଲ ଖବର: ଟାଙ୍ଗରାଭୂମି ଏବେ ଶସ୍ୟଶ୍ୟାମଳା, ସୁଦୃଢ କରୁଛି ଆର୍ଥିକ ମାନଦଣ୍ଡ

Oct 12, 2023 - 09:37
 6
ଭଲ ଖବର: ଟାଙ୍ଗରାଭୂମି ଏବେ ଶସ୍ୟଶ୍ୟାମଳା, ସୁଦୃଢ କରୁଛି ଆର୍ଥିକ ମାନଦଣ୍ଡ

ସୁନ୍ଦରଗଡ଼: ପରିବା ଚାଷ ଆପଣଙ୍କ ଭାଗ୍ୟ ବଦଳାଇଦେଇପାରେ । ଏଭଳି ଉଦାହରଣ ଆମେ ରାଜ୍ୟ ବାହାରୁ ଅନେକ ଦେଖିଛନ୍ତି । ତେବେ ରାଜ୍ୟ ଭିତରେ ମଧ୍ୟ ଏହି ଉଦାହରଣ କିଛି କମ୍ ନୁହେଁ । ଟାଙ୍ଗରଭୂମିରେ ପରିବା ଫଳାଇ ଅନେକ ଚାଷୀ ଯେ କେବଳ ଆତ୍ମନିର୍ଭରଶୀଳ ହୋଇଛନ୍ତି ତାହା ନୁହେଁ ବରଂ ପରିବାରୁ ରୋଜଗାର ଅନେକଙ୍କର ୈନନ୍ଦିନ ଆର୍ଥିକ ଆବଶ୍ୟକତାକୁ ଅନେକମାତ୍ରାରେ ପୁରଣ କରୁଛି । ଆସନ୍ତୁ ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ୍ ରୁ କିଛି ଉଦାହରଣ ଦେଖିବା ।
ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡ ତରଫରୁ ଜିଲ୍ଲାର ୬ଟି ବ୍ଲକ୍ ରେ ପ୍ରାୟ ୩୦୦୦ ଏକର ଜାଗାରେ ୱାଡି କାର୍ଯ୍ୟକ୍ରମ ଅଧିନରେ ୨୦୨୦ ମସିହାରୁ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଇଛି । ଟାଙ୍ଗରାଭୂମିକୁ ଶସ୍ୟଶ୍ୟାମଳା କରି ଏଥିରେ ଏକାଧିକ ଫସଲ ଫଳାଇ ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବାର ଏହି ଅଭିନବ ପ୍ରୟାସ ଅନେକାଂଶରେ ସଫଳ ହୋଇଛି  ।

ଖଣି ପ୍ରଭାବିତ ବ୍ଲକ୍ ଯଥା, କୁତ୍ରା, କୋଇରା, ଲହୁଣୀପଡା, ରାଜଗାଂଗପୁର, ହେମଗିରି, କୁଆଁରମୁଣ୍ଡା ଆଦି ବ୍ଲକ୍ ରେ ପ୍ରାୟ ୫୦୦ ଏକ ଲେଖାଏଁ ଜମିରେ ଆମ୍ବ, ଲେମ୍ବୁ, ଲିଚି, କାଜୁବାଦାମ ଆଦି ଗଛ ଲଗାଯାଇଛି  । ଏଠାରେ ଚାଷୀମାନଙ୍କୁ ବିହନ, ସାର, ସୌରଚାଳିତ ଜଳ ସେଚନ ସହ ଶୀତଳ ଭଣ୍ଡାର ବ୍ୟବସ୍ଥା ଏବଂ ବଜାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି  । ଏହି କ୍ଷେତରୁ ବାହାରୁ ଥିବା ପୋଟଳ, ବରଗୁଡି, ଲଙ୍କା ସହ ବିଭିନ୍ନ ଶାଗ ଆଦିକୁ ବଜାରରେ ବିକ୍ରିୀ କରି ଚାଷୀ ବେଶ୍ ଦୁଇ ପଇସା କମାଉଛନ୍ତି  । ଏହି ପରିବା ସବୁ ମୋ ବାଡି ପରିବା ନାମରେ ବିକ୍ରି ହେଉଛି  ।
ହେମଗିରି ବ୍ଲକ୍ର ଟାପୋରିଆ, ଲାଇକେରା, ବିଶ୍ୱନାଥପୁର, ସୁରୁଲତା, ଡିହିଗୋଡା, ଭାଲୁପଡା, ବଡିବାହାଲ, ଡୁଙ୍ଗୁରୀଡିହି, କୁବେଡେଗା, ବଡିବାହାଲ, କୋଡାବାହାଲ ଆଦି ଗାଁ ମାନଙ୍କରେ ପ୍ରାୟ ୨୦୦ ଏକର ଜାଗାରେ ଚଳିତ ବର୍ଷ ପୋଟଳ ଆଦି ଚାଷ ବେଶ୍ ଭଲ ହୋଇଛି  । ଏଥିରେ ପ୍ରାୟ ୨୬୯ ଜଣ ଚାଷୀ ଚାଷ କାମ କରି ଲାଭବାନ ହୋଇଛନ୍ତି । ଏଥିରେ ଗତ ତିନିବର୍ଷ ମଧ୍ୟରେ ୧୨୬ ଜଣ ତଫସିଲଭୁକ୍ତ୍ ଉପଜାତି, ତଫସିଲଭୁକ୍ତ ଜାତି ଏବଂ ଅନ୍ୟାନ୍ୟ ଜାତିରୁ ୧୨୦ ଜଣ ଚାଷୀ ଚାଷକାମରେ ନିୟୋଜିତ ଅଛନ୍ତି ।

ଏହି ସବୁ ଚାଷୀମାନେ ପ୍ରତି ରବିବାର ଦିନ ପୋଟଳ ତୋଳି ତାକୁ ନିକଟସ୍ଥ ହାଟରେ ବିକିବାସହ ଏହାକୁ ଅନ୍ୟ ବଡ ବେପାରୀଙ୍କୁ ମଧ୍ୟ ଦେଇଥାଆନ୍ତି । ପୋଟଳର ଦମ ବର୍ଷର ବିଭିନ୍ନ ସମୟରେ କିଲୋପିଛା ୨୦ ଟଙ୍କାରୁ ୪୦ ଟଙ୍କାଯାଏ ବିକ୍ରିହୋଇଥାଏ  । ପ୍ରତି ଚାଷୀ ବର୍ଷ ସାରା ପରିଶ୍ରମ କରି ପୋଟଳ ଆଦି ପରିବା ଚାଷରୁ ବର୍ଷକୁ ୮୦ ହଜାରରୁ ଲକ୍ଷେ ଟଙ୍କାଯାଏ ରୋଜଗାର କରିଥାଆନ୍ତି  । ଛତିଶଗଡର ବେପାରୀମାନେ ଗାଡି ନେଇ ପ୍ରତି ରବିବାରଦିନ ପରିବା ସଂଗ୍ରହ କରୁଥିବାବେଳେ ଅନେକ ସମୟରେ ମହିଳାମାନେ ଏହି ପରିବାକୁ ନିଜ ପାଖ ଗାଁ ହାଟରେ ବିକ୍ରୀ କରିଥାଆନ୍ତି । ଚାଷୀମାନଙ୍କର ଏହି ରୋଜଗାର ସେମାନଙ୍କର ପୁଅଝିଅ କିମ୍ବା ନାତିନାତୁଣୀଙ୍କୁ ଶିକ୍ଷା ଏବଂ ସେମାନଙ୍କ ସ୍ୱାସ୍ଥ୍ୟପାଇଁ ଖର୍ଚ୍ଚ ହୋଇଥାଏ  । ଅନେକ ନିଜର ଘରର ମରାମତି କରିବା ସହ ବିଭିନ୍ନ ପବଁପର୍ବାଣୀରେ ମଧ୍ୟ ଏହି ଅର୍ଥକୁ ଖର୍ଚ୍ଚ କରିଥାଆନ୍ତି  । ପୋଟଳବାଦ୍ ଚାଷୀମାନେ ପୋଟଳ ଚାରା ମଧ୍ୟ ବିକ୍ରୀ କରିଥାଆନ୍ତି  । ଏହି ବାବଦରେ ସେମାନେ ବର୍ଷକୁ ୩୦,୦୦୦ ରୁ ୪୦,୦୦୦ ଟଙ୍କା ଅଲଗା ରୋଜଗାର କରିଥଆନ୍ତି ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ଏହି କୃଷିକାମର ନିୟମିତ ତଦାରଖ କରାଯାଇଥାଏ  । ଚାଷୀମାନଙ୍କୁ ନର୍ସରୀ ବେଡ ପ୍ରସ୍ତୁତି, ଚାରା ପ୍ରସ୍ତୁତି, କମ୍ କୀଟନାଶକ ପ୍ରୟୋଗ କରି ଫସଲ କରିବା, ଜଳସେଚନ କରିବା, ଫସଲ ଉପôାଦନ କରିବା ଏବଂ ଏହାର ବଜାରୀକରଣ ଉପରେ ନିୟମିତ ତାଲିମ୍ ଦିଆଯାଇଥାଏ  । ଏହା ଲୋକମାନଙ୍କୁ ବୈଷୟିକ ରୁପେ ସଶକ୍ତ କରିବା ସହ ଉପଯୁକ୍ତଭାବେ ବଜାରକୁ ବୁଝି ବେପାର କରିବାରେ ସହାୟକ ହୋଇଥାଏ  । 
ପରିବା ଚାଷରୁ ଆର୍ଥିକ ସମୃଦ୍ଧି ମିଳିବାଦ୍ୱାରା ଅନେକ ନିମ୍ନ ଏବଂ ମଧ୍ୟବିତ ପରିବାରର ଅପୂରଣୀୟ ଏବଂ ଅପହଂଚ ସ୍ୱପ୍ନ ସବୁ ସାକାର ହେବାରେ ଲାଗିଛି  । ଏହା ସେମାନଙ୍କ ଜୀବନକୁ ବଂଚିବାକୁ ନୂଆ ଦିଶା ଏବଂ ଦଶା ପ୍ରଦାନ କରିଛି  ।