ଭିଜିଲାନ୍ସ ଜାଲରେ ଢେଙ୍କାନାଳ ବାଟାଲିୟନ କମାଣ୍ଡାଣ୍ଟ

Oct 1, 2023 - 08:25
 7
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ବାଟାଲିୟନ କମାଣ୍ଡାଣ୍ଟ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ବାଟାଲିୟନ-୧ କମାଣ୍ଡର ସୁନୀଲ କୁମାର ବେହେରା।  ଗାଡିରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ  ଧରାପଡିଛନ୍ତି। ପରେ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରି ନଗଦ ୧୦ ଲକ୍ଷ ଟଙ୍କା ଜବତ କରିଛି। 

 କମାଣ୍ଡାଣ୍ଟ ସୁନୀଲ ଢେଙ୍କାନାଳରୁ କଟକ ଆସୁଥିବା ବେଳେ ଭିଜିଲାନ୍ସ କୌଣସି ସୂତ୍ରରୁ ଖବର ପାଇ ତାଙ୍କୁ ସିଡିଏ ସେକ୍ଟର ୧୧  ନିକଟସ୍ଥିତ  ମଧୁସୂନ୍ଦନ ସେତୁ ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ତାଙ୍କ ନିକଟରୁ ୧,୩୧,୫୩୫ ଟଙ୍କା ମିଳିଥିଲା। ଉକ୍ତ ଟଙ୍କା  ସମ୍ପର୍କରେ ସେ କୌଣସି  ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଏହାକୁ ଭିଜିଲାନ୍ସ ଟିମ୍ ଜବତ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ କଟକର ସିଡିଏ ସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରି ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲେ। ମୋଟ ୧୦ ଲକ୍ଷ ଏକ ହଜାର ୫୩୫ ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଛି।  ଘର ସମେତ ଏକକାଳୀନ ପାଞ୍ଚଟି ସ୍ଥାନରେ ଚଢାଉ ମଧ୍ୟ ଜାରି ରହିଛି ।