ଇଂଲଣ୍ଡକୁ ୬୯ ରନ୍‌ରେ ହରାଇ ଆଫଗାନିସ୍ତାନର ବିଜୟ

Oct 16, 2023 - 07:14
Oct 16, 2023 - 07:14
 5
ଇଂଲଣ୍ଡକୁ ୬୯ ରନ୍‌ରେ ହରାଇ ଆଫଗାନିସ୍ତାନର ବିଜୟ

ଭୁବନେଶ୍ବର: ରବିବାର ଆଫଗାନିସ୍ତାନ ବିଶ୍ବବିଜେତା ଇଂଲଣ୍ଡକୁ ୬୯ ରନ୍‌ରେ ହରାଇଛି। ଅବିଶ୍ବସନୀୟ ଓ ଅସାଧାରଣ ଦଳଗତ ପ୍ରଦର୍ଶନ ସହ ନିଜ କ୍ରିକେଟ୍ ଇତିହାସର ସବୁଠାରୁ ସ୍ମରଣୀୟ ବିଜୟ ହାସଲ କରିଛି। ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ର ଏହା ମଧ୍ୟ ସବୁଠାରୁ ବଡ଼ ବିପର୍ଯ୍ୟୟ। ତାରକା ଖଚିତ ଇଂଲଣ୍ଡ ବ୍ୟାଟିଂକ୍ରମକୁ ଶାଣିତ ବୋଲିଂରେ ଘାଇଲା କରିଦେଇଛି। ଆତଙ୍କବାଦ, ଅର୍ଥାଭାବ ଏବଂ ଅଭ୍ୟାସ କରିବା ଲାଗି ସୁରକ୍ଷିତ ପଡ଼ିଆର ଅଭାବ ଯେ ଦୃଢ଼ ଆତ୍ମବିଶ୍ବାସ ଓ ନିରନ୍ତର ପ୍ରୟାସ ଆଗରେ ହାରମାନିଛି, ସେକଥା ଆଫଗାନିସ୍ତାନ ପ୍ରମାଣିତ କରିଛି। ଏଭଳି ଫଳାଫଳ ଇଂଲଣ୍ଡରେ ଆଲୋଡ଼ନ ଏବଂ କ୍ରିକେଟ୍ ଜଗତରେ ଚହଳ ସୃଷ୍ଟି କରିଛି।

ଆଫଗାନିସ୍ତାନ ୨୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଇଂଲଣ୍ଡ ୪୦.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୧୫ ରନ୍ କରିବାର ଲଜ୍ଜାଜନକ ପ୍ରଦର୍ଶନ କରିବା ସାରା ବିଶ୍ବର କ୍ରିକେଟ୍‌ପ୍ରେମୀଙ୍କୁ ବିସ୍ମିତ କରିଛି। ଆଫଗାନିସ୍ତାନ ଦଳକୁ କିନ୍ତୁ ଶୁଭେଚ୍ଛାର ସୁଅ ଛୁଟିଛି। ସେପଟେ ୧୬ ବଲ୍‌ରୁ ୨୮ ରନ୍ କରିବା ପରେ ନିଜ ସ୍ପିନ୍ ଯାଦୁରେ ଇଂଲଣ୍ଡକୁ ତିନିଟି ଝଟ୍‌କା ଦେଇଥିବା ୨୨ ବର୍ଷୀୟ ଆଫଗାନ ସ୍ପିନର ମୁଜୀବ-ଉର୍-ରହମାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରି ଇତିହାସ ପୃଷ୍ଠାରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି।