ଚିଟ୍‌ଫଣ୍ଡ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ଚାର୍ଜଫ୍ରେମ୍‌ ହେଲା

Sep 23, 2023 - 16:41
 3
ଚିଟ୍‌ଫଣ୍ଡ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ଚାର୍ଜଫ୍ରେମ୍‌ ହେଲା

ଭୁବନେଶ୍ୱର: ବହୁଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାର ୯ ବର୍ଷ ପରେ ଆଜି ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ସିବିଆଇ ଚାର୍ଜଫ୍ରେମ୍‌ ଦାଖଲ କରିଛି । କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସହ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଚାର୍ଜଫ୍ରେମ୍‌ କରାଯାଇଛି । ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ  ଦଫା ୪୨୦, ୧୨୦ ବି, ୪୦୯, ୪୬୭, ୪୬୮ ଏବଂ ୪୭୧ରେ ଚାର୍ଜଫ୍ରେମ୍‌ ହୋଇଛି ।
ସିସୋର ଚିଟଫଣ୍ଡ ଗ୍ରୁପ ସହ ଏକ ଜମି କିଣାବିକାକୁ ନେଇ ଶ୍ରୀ ବିଶ୍ୱାଳ ଓ ତାଙ୍କ ପତ୍ନୀ ୨୫ଲକ୍ଷ ଟଙ୍କା କାରବାର କରିଥିବାର ଅଭିଯୋଗ ହୋଇଥିଲା  । ଚିଟଫଣ୍ଡ ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିବା ସହ ତାଙ୍କ ନାଁ ଚାର୍ଜସିଟରୁ ବାଦ୍‌ ଦେବା ଓ ଏଫଆଇଆର ଖାରଜ କରିବା ପାଇଁ ଶ୍ରୀ ବିଶ୍ୱାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ  । ହାଇକୋର୍ଟ ଗତ ଏପ୍ରିଲ ମାସରେ ସିବିଆଇ କୋର୍ଟକୁ ୨ମାସ ମଧ୍ୟରେ ଶ୍ରୀ ବିଶ୍ୱାଳଙ୍କ ବିରୁଦ୍ଧରେ ଚାର୍ଜ ଫ୍ରେମ୍‌ କରିବା ସହ ବର୍ଷକ ମଧ୍ୟରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସିସୋର ଚିଟଫଣ୍ଡ ମାମଲାରେ ଶ୍ରୀ ବିଶ୍ୱାଳଙ୍କୁ ସିବିଆଇ ଗତ ୨୦୧୭ ସେପ୍ଟେମ୍ବର ୧୯ତାରିଖରେ ଗିରଫ କରିଥିଲା  । ଶ୍ରୀ ବିଶ୍ୱାଳଙ୍କ ବିରୁଦ୍ଧରେ ମନି ଲଣ୍ଡ୍ରିଂ ଆକ୍ଟରେ ମାମଲା ରୁଜୁ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ୨୦୨୨ ଜୁଲାଇ ମାସରେ ତାଙ୍କର ପ୍ରାୟ ୩କୋଟି ୯୨ଲକ୍ଷ ଟଙ୍କାର ସମ୍ପତ୍ତି ବ୍ୟାଜ୍ୟାପ୍ତି କରିଥିଲେ  । ଏଥିରେ କଟକସ୍ଥିତ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରେ ଥବା ୨୫ଲକ୍ଷ ଟଙ୍କା ସାମିଲ ଥିଲା । ଶ୍ରୀ ବିଶ୍ୱାଳ ଏବେ ଜାମିନରେ ଅଛନ୍ତି ।