ହମ୍‌ସଫର ଏକ୍ସପ୍ରେସରେ ଲାଗିଲା ନିଆଁ

Sep 23, 2023 - 16:33
 2
ହମ୍‌ସଫର ଏକ୍ସପ୍ରେସରେ ଲାଗିଲା ନିଆଁ

ଅହମଦାବାଦ: ଗୁଜରାଟର ଭଲ୍‌ସାଡ୍‌ରେ ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଥିବା ସୂଚନା ରହିଛି । ତିରୁଚିରାପଲ୍ଲୀ ଏବଂ ଶ୍ରୀଗଙ୍ଗାନଗର ମଧ୍ୟରେ ଚାଲୁଥିବା ହମ୍‌ସଫର ଏକ୍ସପ୍ରେସ ଯେତେବେଳେ ଛିପୱାଡ ନିକଟରେ ପହଞ୍ଚିଥିଲା, ସେହି ସମୟରେ ଟ୍ରେନର ଜେନେରେଟର ବଗିରେ ନିଆଁ ଲାଗିଯାଇଥିଲା । ଜେନେରେଟର ବଗି ନଆଁରେ ପୋଡି ପାଉଁଶ ହୋଇ ଯାଇଥିବା ବେଳେ ଯାତ୍ରୀବାହୀ ବଗିଟି ଅଧା କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ଘଟଣାରେ କେହି ବି ମୃତାହତ ହେବାର ସୂଚନା ମିଳିନାହିଁ । ନିଁଆ ଲାଗିବା ପରେ କୌଣସି ଗୁରୁତର ଦୁର୍ଘଟଣା ଘଟିବା ପୂର୍ବରୁ ଯାତ୍ରୀମାନେ ବଗି ଛାଡି ବାହାରକୁ ଚାଲି ଆସିଥିଲେ । ଜେନେରେଟର କମ୍ପାର୍ଟମେଣ୍ଟରୁ ନିଆଁ ଯାତ୍ରୀ କୋଚକୁ ଲାଗିଯାଇଥିଲା । ଟ୍ରେନ୍‌ରେ ନିଆଁ ଲାଗିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଲୋକେ ନିଜ ନିଜ ଜିନିଷପତ୍ର ଧରି ଟ୍ରେନ୍‌ରୁ ଓହ୍ଲାଉଥିବା ଦେଖିବାକୁ ମିଳିଥିଲା । ଏହାପରେ ନିଆଁ ଲାଗିଥିବା ବଗିଗୁଡିକୁ ଟ୍ରେନରୁ ଅଲଗା କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ଟ୍ରେନ୍‌ରୁ ଓହ୍ଲାଇ ଦିଆଯାଇଥିଲା । ତେବେ ଅଗ୍ନିକାଣ୍ଡରେ କୌଣସି ଧନଜୀବନ ହାନି ହେବାର ଖବର ମିଳି ନାହିଁ । ରେଳବାଇ ପୁଲିସ୍‌, କର୍ମଚାରୀ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ନିଆଁକୁ ଆୟତ୍ତ କରିଛନ୍ତି । ଜେନେରେଟର ରୁମ୍‌ରେ ନିଆଁ କିପରି ଲାଗିଲା, ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।