ଆସନ୍ତାକାଲି ହେବ ଆଇପିଏଲ ୨୦୨୪ ପାଇଁ ନିଲାମୀ

Auction for IPL 2024 to be held tomorrow

Dec 18, 2023 - 11:15
 8
ଆସନ୍ତାକାଲି ହେବ ଆଇପିଏଲ ୨୦୨୪ ପାଇଁ ନିଲାମୀ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ପାଇଁ ମଙ୍ଗଳବାର ହେବ ଦୁବାଇରେ ନିଲାମୀ । ଏଥର ବିସିସିଆଇ ନୂଆ ଯୋଜନା କରିଛି । ଯେଉଁଥିରେ ଅନକ୍ୟାପ ଖେଳାଳିଙ୍କ ପାଇଁ ମଧ୍ୟ ଅଧିକ ପ୍ରୋତ୍ସାହିତ ରାଶିର ବ୍ୟବସ୍ଥା କରାଯିବ । ଏହାଦ୍ବାରା ଭାରତୀୟ ଅନକ୍ୟାପ ଖେଳାଳି ଉପକୃତ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଆଇପିଏଲ ଅନକ୍ୟାପ ଖେଳାଳି ଟିମ ଇଣ୍ଡିଆରେ ସାମିଲ ହେଲେ ଫ୍ରାଞ୍ଚାଇଜମାନେ ପ୍ରଥମେ ପ୍ରଥମେ କେବଳ ମ୍ୟାଚ ଫିସ ହିଁ ଦେଉଥିଲେ । ଏବେ ଯଦି କୌଣସି ଆଇପିଏଲ ଅନକ୍ୟାପ ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି ତେବେ ତାଙ୍କୁ ଅଧିକ ଦରମା ମିଳିବ। ଅର୍ଥାତ ପୂର୍ବରୁ କୌଣସି ଅନକ୍ୟାପ ଖେଳାଳି ଆଇପିଏଲ ବିଡିଂରେ ଯେତିକି ମୂଲ୍ୟରେ କିଣାଯାଇଥିବେ ସେହି ଅନୁସାରେ ହିଁ ତିନି ବର୍ଷ ଯାଏଁ ଦରମା ମିଳୁଥିଲା ।

ଏବେ ନୂଆ ନିୟମ ଅନୁସାରେ ପ୍ରଥମ ବର୍ଷରୁ ଦ୍ବିତୀୟ ବର୍ଷ ମଧ୍ୟରେ ଯଦି କୌଣସି ଅନକ୍ୟାପ ଖେଳାଳି ଟିମ ଇଣ୍ଡିଆ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳନ୍ତି ତେବେ ଆଇପିଏଲରେ ତାଙ୍କୁ ସେହି ଅନୁସାରେ ଦରମା ମିଳିବ । ତିନି ବର୍ଷଯାକ ଏହି ଦରମା ନିୟମିତ ଭାବେ ସମୀକ୍ଷା କରି ବୃଦ୍ଧି କରାଯିବ । ଏଥର ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୩୩୩ ସର୍ଟଲିଷ୍ଟେଡ ଖେଳାଳି ।  ଯେଉଁଥିରେ ୨୧୪ ଜଣ ଭାରତୀୟ ଖେଳାଳି ସାମିଲ ଅଛନ୍ତି । ୩୩୩ ଖେଳାଳିରୁ ୧୧୬ କ୍ୟାପଡ ଓ ୨୧୫ ଅନକ୍ୟାପଡ ଖେଳାଳି ବିଡିଂରେ ସାମିଲ ହୋଇଛନ୍ତି । ସେହିପରି ୧୧୯ ବିଦେଶୀ ଖେଳାଳି ନିଲାମୀ ପ୍ରକ୍ରିୟାରେ ସାମିଲ ଥିବାବେଳେ ଇଂଲଣ୍ଡରୁ ସର୍ବାଧିକ ୨୫ ଖେଳାଳି ସାମିଲ ଅଛନ୍ତି । ତେବେ ଆସନ୍ତାକାଲି କେଉଁ ଖେଳାଳିଙ୍କ ଦର କେତେ ଉଚ୍ଚା ରହିବ ସେ ନେଇ ଅଙ୍କ କଷା ଚାଲିଛି । ସହଯୋଗୀ ଦେଶର ୨ ଖେଳାଳୀ ବିଡିଂରେ ମଧ୍ୟ ସାମିଲ ହେବେ ।

ଏହି ତାଲିକାରେ ରହିଛନ୍ତି ଜଣେ ଓଡ଼ିଆ ଖେଳାଳି । ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ ମିଳିଛି ସ୍ଥାନ । ବିଭିନ୍ନ ଦଳରେ ୭୭ ଖେଳାଳିଙ୍କ ପାଇଁ ଖାଲି ପଡ଼ିଛି ସ୍ଥାନ । ଆଇପିଏଲରେ ୩୦ ବିଦେଶୀ ଖେଳାଳୀଙ୍କୁ ନେଇ ପାରିବେ ଦଳ । ୨୩ ଜଣ ଖେଳାଳୀଙ୍କ ସର୍ବନିମ୍ନ ମୂଲ୍ୟ ରହିଛି ୨ କୋଟି ଟଙ୍କା । ୧୩ ଜଣଙ୍କ ବେସ ପ୍ରାଇସ ରହିଛି ଦେଢ କୋଟି କୋଟି ଟଙ୍କା । ୨ କୋଟି ଟଙ୍କା ବର୍ଗରେ ଭାରତର ୩ ଖେଳାଳି ଅଛନ୍ତି । ହର୍ଷଲ ପଟେଲ, ଶାର୍ଦ୍ଦୁଲ ଠାକୁର ଓ ଉମେଶ ଯାଦବଙ୍କ ସର୍ବନିମ୍ନ ମୂଲ୍ୟ ୨ କୋଟି ରହିଛି । ଗୁଜରାଟ ଟାଇଟାନ ପାଖରେ ଅଛି ସର୍ବାଧିକ ୩୮. ୧୫ କୋଟି ଟଙ୍କା । ସନରାଇଜର୍ସ ହାଇଦ୍ରାବାଦ ପାଖରେ ୩୪ କୋଟି ଟଙ୍କା ରହିଛି । ୧୦ ଦଳ ପାଖରେ ଅଛି ମୋଟ ୨୬୨.୯୫ କୋଟି ଟଙ୍କା ।