ବାଚସ୍ପତି ନିର୍ବାଚନ: ଆଜି ନାମାଙ୍କନ ପତ୍ର ଦାଖଲ

Sep 21, 2023 - 04:20
 3
ବାଚସ୍ପତି ନିର୍ବାଚନ: ଆଜି ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର : ଓଡିଶା ବିଧାନସଭାରେ ଖାଲି ପଡିଥିବା ବାଚସ୍ପତି ପଦବୀ ପାଇଁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବିଧାନସଭାରେ ବର୍ତ୍ତମାନର ଗଣିତ ଅନୁଯାୟୀ, ପ୍ରମିଳା ନିଦ୍ୱନ୍ଦରେ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ । ସ୍ୱାଧୀନତା ପରେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହୋଇପାରନ୍ତି ପ୍ରମିଳ ମଲ୍ଲିକ ।

ତେବେ ଗୁରୁବାର ବାଚସ୍ପତି ପଦବୀ ପାଇଁ ପ୍ରମିଳା ନାମାଙ୍କନ ଦାଖଲ କରିବେ । ଶୁକ୍ରବାର ତାରିଖରେ ହେବ ନିର୍ବାଚନ । ଅନ୍ୟ କେହି ପ୍ରାର୍ଥୀ ହେବା ସମ୍ଭାବନା ନଥିବାରୁ ପ୍ରମିଳା ନିନ୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହେବା ନିଶ୍ଚିତ । 

ସେପଟେ ଏହି ଖବର ମିଳିବା ପରେ ଖୁସି ପ୍ରକାଶ କରିଛନ୍ତି ପ୍ରମିଳା । ସେ କହିଛନ୍ତି, ମୁଁ ବହୁତ ଖୁସି । ମୁଖ୍ୟମନ୍ତ୍ରୀ ମୋ’ ଉପରେ ଭରସା କରିଥିବାରୁ ଧନ୍ୟବାଦ । ନିଶ୍ଚିତ ଭାବେ ଏ ଗୁରୁ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବି । ସବୁ ଦଳ ଓ ସଦସ୍ୟଙ୍କୁ ନେଇ ନିରପେକ୍ଷ ଭାବେ କାର୍ୟ୍ୟ କରିବି । ଗୃହ କାର୍ୟ୍ୟକୁ ସୁଚାରୂ ଭାବେ ତୁଲାଇବା ନେଇ ସମସ୍ତେ ସହଯୋଗ କରିବେ ବୋଲି ଆଶା ରହିଛି ।

ସୂଚନାଯୋଗ୍ୟ ଯେ, ଗତ ମେ’ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ପରେ ସେ ମନ୍ତ୍ରୀ ହେଲେ । ସେବେଠାରୁ ବାଚସ୍ପତି ଆସନ ଖାଲି ରହିଛି । ଏହି ଆସନ ନେଇ ବହୁ କଳ୍ପନାଜଳ୍ପନା କରାଯାଉଥିଲା । କିଛି ବରିଷ୍ଠ ସଦସ୍ୟଙ୍କ ସହ ଜଣେ ୨ଜଣ ମହିଳା ବିଧାୟକଙ୍କ ନାଁ ବି ଚର୍ଚ୍ଚାରେ ଥିଲା । ମାତ୍ର ଲମ୍ବା ବ୍ୟବଧାନ ପରେ ମନ୍ତ୍ରୀମଣ୍ଡଳକୁ ଫେରିଥିବା ପ୍ରମିଳାଙ୍କୁ ବାଚସ୍ପତି ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭିଙ୍କୁ ଚକ୍‌ମା ଦେଇଛନ୍ତି । ପ୍ରମିଳା ବର୍ତ୍ତମାନ କ୍ୟାବିନେଟ ମନ୍ତ୍ରୀ ଭାବେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଅଛନ୍ତି ।