କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କୁ ଲଲିପପ୍ ଧରାଇବାରେ ବ୍ୟସ୍ତ:ଶରତ
ଭୁବନେଶ୍ବର: ରାଜ୍ୟର ଅନୁସୂଚୀତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଜନସଂଖ୍ୟା ଆନୁପାତିକ ଭାବରେ ସର୍ବାଧିକ ରହିଛି । ଯେ ପର୍ୟ୍ୟନ୍ତ ରାଜ୍ୟର ଏହି ବର୍ଗର ଜନସାଧାରଣଙ୍କ ମଧ୍ୟରେ ନେତୃତ୍ୱର ବିକାଶ ହୋଇନାହିଁ ସେ ପର୍ୟ୍ୟନ୍ତ ରାଜ୍ୟର ବିକାଶ ଅସମ୍ଭବ । ଦୀର୍ଘ ୨୩ ବର୍ଷର ବିଜୁଜନତା ଦଳର ସରକାର ଓଡ଼ିଶାକୁ ସବୁକ୍ଷେତ୍ରରେ ପଛକୁ ଠେଲି ଦେଇଛି । ଆଜି ଓଡ଼ିଶା ସବୁଠାରୁ ଏକ ଦରିଦ୍ରତମ ରାଜ୍ୟରୂପେ ପରିଗଣିତ ହୋଇଛି ବୋଲି ଦାବି କରିଛି କଂଗ୍ରେସ । ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ଏକାଧିକ ପ୍ରସଙ୍ଗ ଉଠାଇ ଏପରି ଢଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଦେଶ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ।
ଶରତ ପଟ୍ଟନାୟକ କହିଛନ୍ତି, ‘‘ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର ବହୁମାତ୍ରାରେ ବଢ଼ି ଚାଲିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କୁ ଲଲିପପ୍ ଧରାଇବାରେ ବ୍ୟସ୍ତ । ନରେନ୍ଦ୍ର ମୋଦି ସରକାର ଜନସାଧାରଣଙ୍କୁ ଯେତେ ଗୁଡ଼ିଏ ପ୍ରତିଶ୍ରୁତି ଦେଇଥିଲେ କେଉଁ ଗୋଟିଏ ବି ଆଜି ପର୍ୟ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ୨ କୋଟି ନିଯୁକ୍ତି ଦରଦାମକୁ ନିୟନ୍ତ୍ରଣରେ ରଖିବା, ୧୫ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଦେବା, କଳାଧନ ଦେଶକୁ ଫେରାଇ ଆଣିବା ଏସବୁ କେବଳ ଆଜି ଧୂଆଁବାଣ ସାଜିଛି । ରାଜ୍ୟ ସରକାର ୨ଲକ୍ଷ ୨୬ ପଦବୀ ଖାଲି ପଡ଼ିଛି, ମହିଳା ନିର୍ୟ୍ୟାତନା ମଧ୍ୟ ବଢ଼ି ଚାଲିଛି ।’’
